10 ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। 11 ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ। 12 ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ। 13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ। 14 ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ। 15 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହାସବୁ ଅପବିତ୍ର କରିବେ ନାହିଁ। 16 ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
17 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ, 18 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ‘ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି, 19 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂପଶୁ ଉତ୍ସର୍ଗ କରିବେ। 20 ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ। 21 ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ। 22 ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ। 23 ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ। 24 ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ। 25 କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।’ ”
26 ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ। 28 ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ। 29 ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ। 30 ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
31 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ। 32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା। 33 ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”
<- ଲେବୀୟ ପୁସ୍ତକ 21ଲେବୀୟ ପୁସ୍ତକ 23 ->