7 ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍ମଥତ୍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। 8 ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା। 9 ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା; ମନଃଶିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରୟିମର ଥିଲା, ମନଃଶିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା। 10 ଦକ୍ଷିଣ ଦିଗ ଇଫ୍ରୟିମର ଓ ଉତ୍ତର ଦିଗ ମନଃଶିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା; ପୁଣି ତାହା ଉତ୍ତର ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଷାଖର ପର୍ଯ୍ୟନ୍ତ ଗଲା। 11 ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା। 12 ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। 13 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।” 15 ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।” 16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।” 17 ତହିଁରେ ଯିହୋଶୂୟ ଯୋଷେଫଙ୍କର ବଂଶ ଇଫ୍ରୟିମ ଓ ମନଃଶିକୁ କହିଲେ, “ତୁମ୍ଭେ ବହୁଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି; ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। 18 ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ; ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ; କାରଣ କିଣାନୀୟମାନଙ୍କ ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ।”
<- ଯିହୋଶୂୟ 16ଯିହୋଶୂୟ 18 ->