10 ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ; 11 ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର, 12 ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ; 13 ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ। 14 ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
15 ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ; 16 ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ। 17 ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।
18 ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ; 19 ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗର-ଦ୍ୱାରକୁ ନେଇଯିବେ; 20 ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।” 21 ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।
22 ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ। 23 ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହି ଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।
<- ଦ୍ୱିତୀୟ ବିବରଣ 20ଦ୍ୱିତୀୟ ବିବରଣ 22 ->