12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ। 13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ। 14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ। 15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ। 16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ। 17 ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି। 18 ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି। 19 ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି? 20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି। 21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି। 22 ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।
23 ପରେ ସେ ଦୁଇ ଜଣ ଶତ-ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24 ପୁଣି, ସେମାନେ ଯେପରି ପାଉଲଙ୍କୁ ଅଶ୍ବବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ।
25 ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ,
31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ। 32 ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ। 33 ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ। 34 ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିୟାର ଲୋକ, ଏହା ଜାଣି ସେ କହିଲେ, 35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା। ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ।
<- ପ୍ରେରିତ 22ପ୍ରେରିତ 24 ->