8 ଯିହୋୟାଖୀନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଯିରୂଶାଲମ ନିବାସୀ ଇଲ୍ନାଥନ୍ର କନ୍ୟା। 9 ଯିହୋୟାଖୀନ୍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। 10 ସେସମୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଦାସମାନେ ଯିରୂଶାଲମକୁ ଆସିଲେ, ତହିଁରେ ନଗର ଅବରୁଦ୍ଧ ହେଲା। 11 ପୁଣି ତାହାର ଦାସମାନେ ଅବରୋଧ କରୁଥିବା ସମୟରେ ବାବିଲର ରାଜା ନବୂଖଦ୍ନିତ୍ସର ନଗରରେ ଉପସ୍ଥିତ ହେଲା। 12 ତହିଁରେ ଯିହୁଦାର ରାଜା ଯିହୋୟାଖୀନ୍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜା ନିକଟକୁ ବାହାରିଗଲେ; ପୁଣି ବାବିଲ ରାଜା ଆପଣା ରାଜତ୍ଵର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା। 13 ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା। 14 ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ। 15 ଆହୁରି ନବୂଖଦ୍ନିତ୍ସର ଯିହୋୟାଖୀନ୍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା। 16 ଆଉ ସମସ୍ତ ବଳବାନ ଲୋକଙ୍କୁ, ଅର୍ଥାତ୍, ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲ ରାଜା ବନ୍ଦୀ କରି ବାବିଲକୁ ନେଇଗଲା, ଏସମସ୍ତେ ବଳବାନ ଓ ଯୁଦ୍ଧଯୋଗ୍ୟ ଥିଲେ। 17 ପୁଣି ବାବିଲର ରାଜା ଯିହୋୟାଖୀନ୍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।
18 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ୍; ସେ ଲିବ୍ନା ନିବାସୀ ଯିରିମୀୟର କନ୍ୟା। 19 ଆଉ ସେ ଯିହୋୟାକୀମ୍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। 20 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍ନିତ୍ସରର ବିଦ୍ରୋହୀ ହେଲେ।
<- ଦ୍ୱିତୀୟ ରାଜାବଳୀ 23ଦ୍ୱିତୀୟ ରାଜାବଳୀ 25 ->